ଦୂର୍ଗା ସପ୍ତଶତୀ—[ବିଭିନ୍ନ ବିଧି]
ଦେବଭୂମି
ଭାରତ, ଯାହାର ମାଟିର ତିଳକ କରାଯାଏ, ଯେଉଁଠାରେ ନଦୀଗୁଡ଼ିକୁ ନମନ କରାଯାଏ, ଯେଉଁଠାରେ ଓଁକାରର ଧ୍ୱନି ମିଳିଥାଏ, ମନ୍ଦିରର ଶଂଖ ଧ୍ୱନି ଏବଂ ହବନର ଧୂଆଁ ସହିତ
ଶ୍ରାବଣ ମାସରେ ମେହନ୍ଦିର ସୁଗନ୍ଧ, ନବରାତ୍ରିରେ ନବଦୁର୍ଗାଙ୍କର ଆରାଧନା, ଅମାବାସ୍ୟାରେ ଦୀପାବଳୀ ପାଳନ କରାଯାଇଥାଏ, ସେହି ଭାରତ ଭୂଇଁକୁ ମୋର କୋଟି କୋଟି ପ୍ରଣାମ
।
ଆମ୍ଭ
ସଂସ୍କୃତିରେ ଚାରିପ୍ରକାରର ପୁରୁଷାର୍ଥ କୁହାଯାଇଅଛି । ଯଥା-ଅର୍ଥ, ଧର୍ମ, କାମ, ମୋକ୍ଷ । କେବଳ ମୋକ୍ଷର ମାଧ୍ୟମରେ ସଂସାର
ଚାଲିପାରିବ ନାହିଁ । ଧର୍ମର ନିଜସ୍ୱ ଆବଶ୍ୟକତା ଅଛି । କିନ୍ତୁ ଅର୍ଥ ଏବଂ କାମର ନିଜସ୍ୱ ମହତ୍ୱ
ଅଛି । ସାଂସାରିକ ଲୋକ ନିଜର ମନସ୍କାମନା ପୂରଣ କରିବା ନିମନ୍ତେ ପୂଜା କରିଥାନ୍ତି । ମା’ ଜଗଦମ୍ବା ସମସ୍ତ ପ୍ରାଣୀଙ୍କର ଜନନୀ ଅଟନ୍ତି
। ତାଙ୍କ ଭଣ୍ଡାରରେ କୌଣସି ବସ୍ତୁର ଅଭାବ ନଥାଏ । କେବଳ ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ସହିତ
ପୂଜା କରିବା ଦରକାର । ଆପଣମାନଙ୍କର ସମସ୍ତ ପ୍ରକାର ଇଛା ଆଦି ଶକ୍ତିର ଆରୋଧନାରେ ପୂର୍ଣ୍ଣ
ହୋଇପାରିବ । ନବରାତ୍ରର ପର୍ବ ବର୍ଷକୁ ଚାରିଥର ଆସେ । କିନ୍ତୁ ଦୁଇଟି ନବରାତ୍ର ଗୃହସ୍ଥଙ୍କ
ପାଇଁ ପାଳନ ହୋଇଥାଏ । ଏହି ପର୍ବରେ ଆଦିଶକ୍ତି ଜଗଦମ୍ବା ନିଜର ଭକ୍ତଙ୍କୁ ବରଦାନ ଦେବାପାଇଁ
ବ୍ୟାକୁଳ ହୋଇଥାନ୍ତି । ନବରାତ୍ରରେ ସପ୍ତଶତୀ ପାଠ ଦ୍ୱାରା ଆସନ୍ତା ବର୍ଷ ଆପଣଙ୍କ ଘରେ ସୁଖ, ଶାନ୍ତି ଓ ସଂପର୍ଣ୍ଣତା ଆସିଥାଏ । ଦୁର୍ବାସପ୍ତଶତୀର
ସାଧାରଣ ପାଠରେ ଏହି ଉଦ୍ଦେଶ ହୋଇଥାଏ । କିନ୍ତୁ ନିଜର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ
ଦୁର୍ଗା ସପ୍ତଶତୀ ପାଠର ବିଧି ବିଧାନ ଓ କ୍ରମ
ସାଧାରଣରେ ଅଗୋଚର ରହିଥାଏ ।
ଆସନ୍ତୁ ଜାଣିବା ଏହି ଦୁର୍ଗା ସପ୍ତଶତୀ ପାଠର
ବିଧିବିଧାନ ବିଷୟରେ -
ସପ୍ତଶତୀରେ ଶକ୍ତିର ତିନି ପ୍ରମୁଖ ସ୍ୱରୂପକୁ
ଉପାସନା କରାଯାଇଥାଏ । ଏହି ସ୍ୱରୂପ ହେଲେ- ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀ । ଏହି
ଉପାସନା ‘ସ୍ତ୍ରୀ’ ତତ୍ତ୍ୱ ପ୍ରଧାନ ଅଟେ । ସ୍ତ୍ରୀ ଜାତିକୁ
ପୂଜା ରୂପରେ ଗ୍ରହଣ କରି ତାଙ୍କ ପ୍ରତି ମାତୃଭାବନା ରଖି ଏହି ଉପାସନାକୁ ସ୍ୱୀକାର
କରିବା ଉଚିତ୍ । ‘ସ୍ତ୍ରୀ’ ଏକ ପୃଥକ ବୀଜତତ୍ତ୍ୱ ଅଟେ । ଏହାର ନିର୍ମାଣ “ସ୍ + ତ୍ + ର୍ + ଇ୍ + ମ୍” ଅକ୍ଷର ଦ୍ୱାରା ହୋଇଥାଏ । ସ୍ - ଶକ୍ତି ବାଚକ
ଅଟେ, ତ୍ - ଋଣାତ୍ମାକ ଅକ୍ଷର ଅଟେ, ର୍ - ଅଗ୍ନିବୀଜ ଅଟେ, ଇ୍-ଗତି ଅଟେ ଏବଂ ମ୍ - ଲୟ ଭାବ ଅଟେ । ମ୍
କା’ରରେ
ଶବ୍ଦମାତ୍ର ଲୟ ହୋଇଯାଇଥାଏ । ଏହାର ଅର୍ଥ ଜନ୍ମ ମରଣର ବିଶ୍ୱକ୍ରୀୟାରେ ଆଦି ଶକ୍ତି ସାଧକକୁ
ବଞ୍ଚେଇ ଥାନ୍ତି । ତାହାର ସଂଜ୍ଞା ‘ସ୍ତ୍ରୀ’ ବୀଜ ଅଟେ । ଏହାର ଭୁକ୍ତି ଏବଂ ମୁକ୍ତି
ଦେବାରେ ସାମର୍ଥ୍ୟତା ପାଏ । ‘ସ୍ତ୍ରୀ’ ବୀଜ ଅତି ଦିବ୍ୟ ବୀଜ ଅଟେ । ଏହାର ଉପାସନା
ଉଚ୍ଚ ଭାବନାର ଜାଗ୍ରତ ନିମନ୍ତେ କରାଯାଇଥାଏ । ଯଦି ସାଧକ ଏଭଳି ଉଚ୍ଚ ଭାବ ନଆଣି ପାରନ୍ତି
ତାହାହେଲେ ‘ତ୍ରି’ ବୀଜର ଜପ କରିପାରନ୍ତି । ତନ୍ତ୍ର ଶାସ୍ତ୍ରର
ସର୍ବପ୍ରାଚୀନ ତନ୍ତ୍ର “କାଳସଂହିତା”ରେ ‘ସ୍ତ୍ରୀ’ ବୀଜ ଉପରେ ଆଧାରିତ ଏକ ମହତ୍ୱପୂର୍ଣ୍ଣ
ଯନ୍ତ୍ରର ବ୍ୟବସ୍ଥା ଉପସ୍ଥାପିତ କରାଯାଇଛି । କାଳସଂହିତା ସ୍ୱୟଂ ଏକ ଗୁପ୍ତ ଯନ୍ତ୍ର ଅଟେ ।
ଏହାର ଦୀକ୍ଷା ଗୁପ୍ତ ରୂପରେ ମିଳିଥାଏ । ଏହି କାଳଦୀକ୍ଷାର ମହତ୍ୱ ଭୈରବୀ ଦୀକ୍ଷା ଠାରୁ ଯଥେଷ୍ଟ
ଅଧିକ । ଏହାର ଅଧିଷ୍ଠାତ ଦେବତା ମହାକାଳ ଅଟନ୍ତି । ମହାକାଲୀଙ୍କର ଡାହାଣ ପାଦ ଶିବଙ୍କ ଛାତି ଉପରେ ଏବଂ
ବାମ ପାଦ ସ୍ତ୍ରୀର ଜାନୁ ଉପରେ ସ୍ଥିତ ଅଛି । ଏହି ଭାବର ମୃର୍ତ୍ତି ସିଲଂ (ମେଘାଳୟର ରାଜଧାନୀ)
ର ଏକ ଗୁପ୍ତ ମଠରେ ଦେଖିବାକୁ ମିଳିଥାଏ । ଏହି ମଠକୁ ଯିବାକୁ ହେଲେ ଏକ ଗୁମ୍ଫାଦ୍ୱାରା ଯିବାକୁ
ହୋଇଥାଏ । ଏଠାରେ ମହାକାଳ ଏବଂ ମହାକାଳୀଙ୍କର ଦୁଇଟି ଭବ୍ୟ ଭୟଙ୍କର ମୃର୍ତ୍ତି କଳାପଥରରେ
ନିର୍ମିତ ।
ଏହି ଯନ୍ତ୍ରରେ ୯ଟି ‘ନ’ ଅଛି । ବର୍ତ୍ତମାନ ଦୁର୍ଗା ସପ୍ତଶତୀରେ ମଧ୍ୟ
ଏକ ଶ୍ଳୋକରେ ଏହି ୯ଟି ‘ନ’ର ଉଲ୍ଲେଖ ଅଛି । ଶ୍ଳୋକଟି ହେଲା -
ସୁଲେନ
ପାହି ନୋ ଦେବୀ ପାହି ଖଡ଼ଗେନ ଚାମ୍ବିକେ
ଘଣ୍ଟା
ସ୍ୱନେନ ନଃ ପାହି ଚାପ ଜ୍ୟାନିଃ ସ୍ୱନେନ ଚ ।ା
ଦୁର୍ଗା ସପ୍ତଶତୀର ମଧ୍ୟମ ଚରିତ୍ରରେ ଏହି
ଶ୍ଳୋକର ମହତ୍ୱ ଅଛି । ବସ୍ତୁତଃ ଏହି ୯ଟି ‘ନ’ ମାୟା ବୀଜର ୯ କଳାକୁ ଅଭିବ୍ୟକ୍ତ କରିଥାଏ ।
ଏମାନଙ୍କର ଅଧିଷ୍ଠାତ ଦେବତାଙ୍କର ସମ୍ବନ୍ଧ ନବାହ୍ନ ମନ୍ତ୍ରର ଏକ ଏକ ଅକ୍ଷରକୁ ବୁଝାଇ ଥାଏ ।
ଏହି ଯନ୍ତ୍ରର ମଧ୍ୟରେ ହ୍ରୀଂ ନିକଟରେ ‘ର’ ବୀଜ ଅଛି । ଯାହାକୁ କି ଅଗ୍ନି ବୀଜ
କୁହାଯାଏ । ଏହାର ଉତ୍ପତ୍ତି ସଂଘର୍ଷଣରେ ହୋଇଥାଏ । ଏହାର ଚାରଟି ଭାବ ଅଛି । ଜ୍ୱାଲାଭାବ-ପ୍ରଥମ
ଭାବ ଅଟେ । ଏହି ଭାବକୁ ଭେଦନ ବା ତ୍ରିଶୂଳ କ୍ରୀୟା କହନ୍ତି । ଦ୍ୱିତୀୟ କ୍ରୀୟା ତତ୍ତ୍ୱକୁ
ଡମ୍ବରୁ’
କୁହାଯାଇଥାଏ । ତୃତୀୟ କ୍ରୀୟାକୁ ବର’ କୁହାଯାଇଥାଏ । ଚତୁର୍ଥ କ୍ରୀୟାକୁ ଧାରଣ’ କୁହାଯାଇଥାଏ । ଏହାର ଚିହ୍ନ କପାଳ’ ଅଟେ । ମହାକାଳଙ୍କର ସ୍ୱରୂପ ଚିହ୍ନ ‘ଡମ୍ବରୁ’ ଅଟେ । ଯାହାଙ୍କର ଚାରଟି ହାତ ଅଛି । ଗୋଟିଏ
ହାତରେ ତ୍ରିଶୂଳ, ଦ୍ୱିତୀୟ ହାତରେ ଡମ୍ବରୁ, ତୃତୀୟ ହାତରେ ବରଦ ଓ ଚତୁର୍ଥ ହାତରେ
ଆଙ୍ଗୁଳି ଦ୍ୱାରା ବ୍ୟକ୍ତ ଜ୍ଞାନ ମୁଦ୍ରା ଥାଏ । ଯାହା ଉପରେ ନରକପାଳ ସ୍ଥିତ ହୋଇଥାଏ । ଜ୍ଞାନ
ମୁଦ୍ରା ଉପରେ ନରକପାଳର ସ୍ଥିତି ଏକ ଗମ୍ଭୀର ତାନ୍ତ୍ରୀକ ରହସ୍ୟ ଅଟେ । ଦୁର୍ଗା ସପ୍ତଶତୀର
ନବଦୁର୍ଗା ଭିତରୁ ପ୍ରଥମ ଚାରଟି ଦୁର୍ଗାଙ୍କର ନାମ ଏବଂ ଶେଷ ଚାରି ଦୁର୍ଗାଙ୍କର ନାମ କନ୍ୟା ଅଟେ
। ମଧ୍ୟରେ ଥିବା ପଞ୍ଚମ ଦୁର୍ଗାଙ୍କର ନାମ “ସ୍କନ୍ଧ ମାତା” ଅଟେ ।
ଏହାର ଅର୍ଥ ହେଲାଯେ, ଯେଉଁ ପ୍ରକାରରେ ମାତା ବିଶ୍ୱର ଜନନୀ ହୋଇ
ବିଶ୍ୱରେ ହିଁ ସ୍ଥିତ ଅଟନ୍ତି ସେହିପରି କନ୍ୟାଙ୍କ ମଧ୍ୟରେ ମଧ୍ୟ ସ୍ଥିତ ଅଟନ୍ତି । କାରଣ ମାତାର
ମୂଳ ତତ୍ତ୍ୱ କନ୍ୟାରେ ହିଁ ଥାଏ । ଏହି ନବ
ଦୁର୍ଗା ଆଦି ନବ ଶକ୍ତି ଅଥବା ନବ କ୍ରୀୟା ହିଁ ଅଟନ୍ତି । ପଞ୍ଚମ ଶକ୍ତି ମାତୃ କ୍ରୀୟା ଅଟେ ।
ଏହି ମାତୃ କ୍ରୀୟାକୁ ସ୍ପନ୍ଦ ବିନ୍ଦୁ କୁହାଯାଏ । ଏହି ଭଗବତୀ ଅଗ୍ନି ତତ୍ତ୍ୱ ମୟୀ ଅଟନ୍ତି ।
ଯୋଗ ଶାସ୍ତ୍ରର କୁଣ୍ଡଳିନୀ ଶକ୍ତି ଅଟନ୍ତି ।
ସପ୍ତଶତୀର ପାଠ, ହବନ, ଜପ ଏବଂ ପୁରଶ୍ଚରଣର ଭିତ୍ତି ତନ୍ତ୍ର
ଶାସ୍ତ୍ର ଅଟେ । କିନ୍ତୁ ଏକଥା ବୁଝିବା ପାଇଁ ସମୟ ବା ଆଗ୍ରହ କାହିଁ ? ବିନା ପ୍ରୟୋଗାତ୍ମକ ଜ୍ଞାନରେ କୌଣସି ପାଠ, ଜପ ଫଳପ୍ରଦ ହୋଇନଥାଏ । ଏବଂ ପ୍ରୟୋଗାତ୍ମକ
ଜ୍ଞାନ ହେଉଛି ଗୁରୁଗମ୍ୟ । ଗୁରୁଙ୍କଠାରୁ ବା ବିଦ୍ୱାନଙ୍କ ଠାରୁ ପଚାରି ବା ବୁଝିକରି ନିମ୍ନରେ
ଦିଆଯାଇଥିବା ପ୍ରୟୋଗ କରିବା ଉଚିତ୍ । ପ୍ରୟୋଗାତ୍ମକ ଜ୍ଞାନର ଅଭାବରେ ଧନ ଓ ସମୟ ନଷ୍ଠ ହୋଇଥାଏ
। ତେଣୁ ମୋର ବିଶେଷ ଅନୁରୋଧ ଯେ, କୌଣସି ପ୍ରକାରର ପୂଜା ପାଠ ବା ଜପ କରିବା
ପୂର୍ବରୁ ତା’ର ସମସ୍ତ ପ୍ରୟୋଗାତ୍ମକ ଜ୍ଞାନ ଆହାରଣ କରିବା ଉଚିତ୍ ।
ନଚେତ୍ ବିଶେଷତଃ ସପ୍ତଶତୀ ଚଣ୍ଡି ପାଠରେ କ୍ଷତି ହେବାର ସମ୍ଭାବନା ଥାଏ । କାରଣ ଏହି ପାଠ କୌଣସି ପ୍ରକାରର ତ୍ରୁଟି
ବରଦାସ୍ତ କରିନଥାଏ ।
ମୋର ଦୃଢ଼ ବିଶ୍ୱାସଯେ, ନିମ୍ନରେ ଦିଆଯାଇଥିବା ପାଠର ବିଧି ଦ୍ୱାରା
ପାଠ କଲେ ତାହା ନିଶ୍ଚିତ ଭାବରେ ସଫଳ ହେବ । ଜଗଦମ୍ବାଙ୍କ ସମ୍ବନ୍ଧିତ ଯେତେକ କାର୍ଯ୍ୟ ଅଛି
ତାହା କରିବା ପୂର୍ବରୁ ପୀଠ ସ୍ଥାପନ କରିବା ନିତ୍ୟାନ୍ତ ଆବଶ୍ୟକ । ପୀଠ ସ୍ଥାପନ ଦୁଇ ପ୍ରକାରର
ହୋଇଥାଏ । ଗୋଟିଏ ଚଳ ଅନ୍ୟଟି ଅଚଳ । ଚଳ ପୀଠର ସ୍ଥାପନା ସ୍ୱଂୟ ନିଜ ଭିତରେ କରିବାକୁ ହୋଇଥାଏ
କିନ୍ତୁ ଅଚଳ ପୀଠର ସ୍ଥାପନା କୌଣସି ବିଶେଷ ସ୍ଥାନ ଉପରେ ହୋଇଥାଏ । ଏହି ଦୁଇ ପ୍ରକାର ପୀଠରେ
ଯଥେଷ୍ଟ ଭିନ୍ନତା ଥାଏ ।
ପ୍ରଥମ ପୀଠ ପାଇଁ ‘ହ୍ରୀଂଶ୍ରୀଂକ୍ରୀଂହୌଂ ସ୍ୱାହା’ ଏହି ବୀଜ ମନ୍ତ୍ର ଦଶ ହଜାର ଜପ ଦ୍ୱାରା
ଆତ୍ମାକୁ ପ୍ରବଳ ସୂକ୍ଷ୍ମଗ୍ରାହୀ ବନାଇ ଦେଇଥାଏ । ଏହି ଜପ ଦ୍ୱାରା ଆତ୍ମା ଅତ୍ୟନ୍ତ ଦିବ୍ୟ ହୋଇ
ଯାଇଥାଏ । ମନ୍ତ୍ରର ଜପ ଏକାନ୍ତରେ ଅତ୍ୟଧିକ ଧୂପ ଜଳାଇ କରିବାକୁ ହୋଇଥାଏ । ଯଦି ଜପ ଅବସ୍ଥାରେ
ମୁଣ୍ଡ ବ୍ୟଥା ହୁଏ ତେବେ ଲେମ୍ବୁର ଜଳ ପିଇବା ଉଚିତ । ବ୍ରହ୍ମଚର୍ଯ୍ୟ, ଏକାନ୍ତ ଏବଂ ନିରାହାର ପାଳନ କରନ୍ତୁ । ଏହି ଜପକୁ ପ୍ରତ୍ୟେହ ହଜାରେ ଲେଖାଏଁ ଏଗାର
ଦିନରେ ସଂପୂର୍ଣ୍ଣ କରିବାକୁ ହୋଇଥାଏ । ଜପର ସମୟ ରାତ୍ର ୧୨ ଘଟିକାରୁ ୨ ଘଟିକା ମଧ୍ୟରେ । ଜପ
ଆରମ୍ଭର ଏକ ଦୁଇ ଦିନ ପରେ ଆତ୍ମା ଭିତରୁ ରଶ୍ମୀ ଉତ୍ପନ୍ନ ହୋଇ ସମସ୍ତ ଶରୀରରେ ବ୍ୟାପ୍ତ
ହୋଇଯାଇଥାଏ । ଯାହା ଦ୍ୱାରା ସାଧକ ନିଜକୁ ବହୁତ ହାଲୁକା ଅନୁଭବ କରିଥାଏ । ଏହି ଅବସ୍ଥାରେ
ଦେବୀଙ୍କୁ ଯେଉଁ ଭାବରେ ହୃଦୟରେ ସ୍ଥାପନ କରିବେ ଏବଂ ତା ଉପରେ ମନ କେନ୍ଦ୍ରିତ କରିବେ ସେହି
ଭାବରେ ଆତ୍ମାରେ ରଶ୍ମୀ ସମାହିତ ହୋଇଥାଏ । ଏହି ହିସାବରେ କଲେ ଏହି ପୀଠ ସିଦ୍ଧ ଓ ସ୍ଥିତ
ହୋଇଥାଏ । ଏହି ପୀଠକୁ ଆତ୍ମ ପୀଠ କୁହାଯାଏ । ଏହି ପୀଠର ସ୍ଥାପନା ସେତେବେଳେ କରିବା ଉଚିତ୍
ଯେତେବେଳେ ସାଧକ ନିଜେ ସପ୍ତଶତୀ ପାଠ ବା ଜପ ବା
ପୁରଶ୍ଚରଣ କରିବାକୁ ପ୍ରସ୍ତୁତ ହୋଇଥାଏ
ଅଚଳ ପୀଠର ସ୍ଥାପନା ମୁଖ୍ୟତଃ ଚାରି ପ୍ରକାରର
ହୋଇଥାଏ । ଯଥା - ସୂକ୍ଷ୍ମ ଦୈବୀ ଜଗତ ଦ୍ୱାରା ପୀଠ ସ୍ଥାପିତ କରାହୋଇଥାଏ । ଏହାକୁ ସିଦ୍ଧ ପୀଠ
କୁହାଯାଏ । ଭାରତରେ ମୁଖ୍ୟତଃ ୫୧ଟି ଶକ୍ତି ପୀଠ ଅଛି । ଏହାର ପ୍ରତିଷ୍ଠା ସ୍ୱୟଂ ଜଗଦମ୍ବାଙ୍କର
ଅଙ୍ଗରୁ ହୋଇଅଛି । ଯେଉଁ ସ୍ଥାନରେ ତିନି ପୀଠର ପ୍ରତିଷ୍ଠା ହୋଇଅଛି । ତାହାକୁ ଶକ୍ତି ତ୍ରୀକୋଣ
କୁହାଯାଏ । ଏହି ଶକ୍ତି ତ୍ରୀକୋଣ ମୁମ୍ବାଇ, ବିନ୍ଧ୍ୟାଂଚଳ, ଆସାମ ଆଦି ସ୍ଥାନରେ ଅଛି । ଶକ୍ତି ତ୍ରିକୋଣର
ଅର୍ଥ ହେଲା ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀର ପୀଠ ତିନିକୋଣରେ
ଅବସ୍ଥିତ ଥାଏ । ଏହି ସ୍ଥାନରେ ଜପ ପାଠ ଇତ୍ୟାଦି କଲେ ମନୋବାଞ୍ଛିତ ଫଳ ମିଳିଥାଏ । ଏହି ପ୍ରକାରର ପୀଠ ସ୍ଥାନରେ
ଦେବୀ ଜଗତର ସୂକ୍ଷ୍ମ ଓ କଲ୍ୟାଣକାରୀ ଭାବ ନିହିତ ହୋଇଥାଏ ।
ଦ୍ୱିତୀୟ ଭାବର ପୀଠର ସ୍ଥାପନା ମୁନି, ଋଷି, ସିଦ୍ଧସାଧକ ଏବଂ ମହାତ୍ମାଙ୍କ ଦ୍ୱାରା ହୋଇଥାଏ
। ଏମାନେ ଦିବ୍ୟ ଏବଂ ଉଚ୍ଚ କୋଟୀର ସନ୍ଥ ହୋଇଥାନ୍ତି । ଦୈବି ଶକ୍ତି ଏମାନଙ୍କୁ ପ୍ରେରିତ କରି
ପୀଠ ସ୍ଥାପନ କରାଇଥାନ୍ତି । ଏହି ପୀଠ ସ୍ଥାୟୀ ଶକ୍ତି ଯୁକ୍ତ, ସାତ୍ତ୍ୱିକ ତଥା ଦୈବୀଜଗତରେ ସଂପର୍କ
ରଖିଥାନ୍ତି । ଏହାର ଆକର୍ଷଣରେ ଆକର୍ଷିତ ହୋଇ
ହଜାର ହଜାର ଲୋକ ପୀଠ ଦର୍ଶନ ପାଇଁ ଆସିଥାନ୍ତି ଏବଂ ପୂଜା ଜପାଦି କରିଥାନ୍ତି । ଯେଉଁ
ବ୍ୟକ୍ତି ସ୍ୱାତ୍ତିକ ବିଚାରରେ ଏହି ପୀଠରେ ପୂଜାଦି କରିଥାନ୍ତି ତାହାଙ୍କର କାମନା ପୂର୍ଣ୍ଣ
ହୋଇଥାଏ ।
ତୃତୀୟ ପ୍ରକାର ପୀଠକୁ ରାଜସିକ ପୀଠ କୁହାଯାଏ
। ଆତ୍ମା ଦ୍ୱାରା ପ୍ରେରିତ ବା ଆବେଶ ଦ୍ୱାରା ବସିଭୁତ ହୋଇ ଯେଉଁ ସ୍ତ୍ରୀ ନିଜର ସତୀତ୍ୱ ବଳରେ
ଅଥବା ଦେଶକାଳ ପରିସ୍ଥିତି କାରଣରୁ କୌଣସି ସ୍ଥାନରେ ନିଜର ପ୍ରାଣ ବିସର୍ଜ୍ଜନ କରିଥାନ୍ତି ତାହା
ତାଙ୍କର ଆତ୍ମା ପୀଠ ହୋଇଯାଇଥାଏ । ଏହି ପୀଠ ନିଜ ସୀମାଭିତରେ ଅତ୍ୟଧିକ ଶକ୍ତିଶାଳୀ ହୋଇଯାଇଥାଏ
। ବେଳେବେଳେ ଅନେକ ଆତ୍ମା ଏହି ପୀଠରେ ଏକତ୍ରିତ ହୋଇଥାନ୍ତି । ଏହି ପ୍ରକାରର ପୀଠରେ ସେହି
ସମାଧି ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ଯାହାକି ହଠଯୋଗ ଦ୍ୱାରା ଅଥବା ମୁକ୍ତି ହେବାର କିଛି ସମୟ
ପୂର୍ବରୁ ଶ୍ୱାସ ରହି ପ୍ରାପ୍ତି ହୋଇଥାଏ । ଅଘୋର ସଂପ୍ରଦାୟରେ ଏହି ପ୍ରକାର ସମାଧି ଦେଖିବାକୁ
ମିଳିଥାଏ । ଏହି ସ୍ଥଳରେ ସମାଧିସ୍ଥ ବ୍ୟକ୍ତିର ଆତ୍ମା ଦ୍ୱାରା ପୀଠ ନିର୍ମିତ ହୋଇଥାଏ । ଯେଉଁ
ଦିନ ଯେଉଁ କ୍ଷଣରେ ବ୍ୟକ୍ତି ସମାଧିସ୍ଥ ହୋଇଥାଏ ସେହି ସମୟରେ ତା’ର ଆତ୍ମା ଏହି ପୀଠକୁ ନିଶ୍ଚିତ ଭାବରେ
ଆସିଥାଏ । ଯଦି ଏହି ଅବସରରେ କୌଣସି ବ୍ୟକ୍ତି ସମାଧିସ୍ଥଳର ପୂଜାର୍ଚ୍ଚନା କରିଥାଏ ତା’ର ଫଳ ଅବଶ୍ୟ ପାଇଥାଏ । ଏହି ତୃତୀୟ ପ୍ରକାର
ପୀଠରେ ତାମସିକ ଭାବର ପୀଠ ମଧ୍ୟ ଆସୁଅଛି । ଏହାର ନିର୍ମାଣ ତାମସିକ ତଥା ଅପଦେବତାମାନଙ୍କ ପାଇଁ
କରାଯାଇଥାଏ । ନିଚ ଜାତିର ସ୍ତ୍ରୀ ବା ପୁରୁଷଙ୍କ ଆତ୍ମାର ମାଧ୍ୟମରେ ପୀଠ ନିର୍ମିତ କରି
ଗୁଣିଆମାନେ କ୍ଷୁଦ୍ର ଭାବନା ରଖିଥିବା ପ୍ରେତାତ୍ମାଙ୍କୁ ଆହ୍ୱାନ କରିଥାନ୍ତି । ଏହାଦ୍ୱାରା କୌଣସି ପ୍ରକାର ଲାଭ ହୋଇନଥାଏ ।
କି୍ତୁ ଏହାର ନିର୍ମାଣ ସହଜରେ ହୋଇଯାଇଥାଏ ।
ଚତୁର୍ଥ ପ୍ରକାରର ପୀଠ ସମସ୍ତ ପ୍ରକାରର ଦେବୀ
ଦେବତାଙ୍କୁ ଆମନ୍ତ୍ରୀତ କରିବା ପାଇଁ ନିର୍ମିତ ହୋଇଥାଏ । କଳସ ସ୍ଥାପନ ଅଥବା ମୂର୍ତ୍ତି ସ୍ଥାପନ
କରି ସାଧକ ଅନ୍ୟର କଲ୍ୟାଣ ପାଇଁ ଭଗବତୀଙ୍କର ପାଠ, ପୂଜାର୍ଚ୍ଚନା, ଜପ ଓ ପୁରଶ୍ଚରଣ କରିଥାନ୍ତି ।
ଦୁର୍ଗା ସପ୍ତଶତୀ ଅନେକ ବିଧି ପ୍ରଚଳିତ ଅଛି । ଯେଉଁ ବିଧି ଦ୍ୱାରା ସାଧକ ମହାଶକ୍ତି ସହିତ
ସଂପର୍କ ସ୍ଥାପନ କରିଥାନ୍ତି; ନିମ୍ନରେ କେତେକ ଅଦ୍ଭୁତ ଓ ପ୍ରାମାଣିକ ପ୍ରୟୋଗ ଦିଆଯାଉଅଛି ।
୧. ସାମାନ୍ୟ ବିଧି :
ନବାନ୍ନ ମନ୍ତ୍ର ଜପ (ଓଁ ରହିତ) ଏବଂ
ସପ୍ତଶତୀ ନ୍ୟାସ ପରେ ତ୍ରୟୋଦଶ ଅଧ୍ୟାୟ ପର୍ଯ୍ୟନ୍ତ କ୍ରମଶଃ ପାଠ କରାଯାଇଥାଏ । ପ୍ରାଚୀନ କାଳରୁ
କବଚ, ଅର୍ଗଳା ଓ ତିଳକ ପାଠ କରାଯାଇଥାଏ । ଆଜିର ସପ୍ତଶତୀ ପାଠରେ ଅର୍ଥବଶୀର୍ଷ, କୁଞ୍ଜିକା ମନ୍ତ୍ର, ରାତ୍ରିସୁକ୍ତ, ଦେବୀ ସୁକ୍ତ ଆଦି ବର୍ଦ୍ଧିତ ଭାଗ ଅଟେ । ସାମାନ୍ୟ ପାଠରେ ଅର୍ଦ୍ଧ ରାତ୍ରୀରେ
ଦେବୀଙ୍କର ଉପାସନା କେବଳ ମଧ୍ୟମ ଚରିତ୍ରର (ଦୁଇ, ତିନି, ଚାରି ଅଧ୍ୟାୟ) ପାଠ କରାଯାଏ ।
୨. ସଂପୁଟ ପାଠ ବିଧି ;
ଏହି ବିଧିରେ ସପ୍ତଶତୀର ୧୩ ତମ ଅଧ୍ୟାୟ
ପର୍ଯ୍ୟନ୍ତ (ସଂପୂର୍ଣ୍ଣ ୭ଶହ ଶ୍ଳୋକ) ଏକ ବିଶେଷ ମନ୍ତ୍ର ଦ୍ୱାରା ପ୍ରତ୍ୟେକ ଶ୍ଲୋକର ଆଗରେ ଏବଂ
ପଛରେ ପାଠ କରାଯାଏ । ଏହି ପାଠ ବିଧି କୌଣସି ବିଶେଷ କାର୍ଯ୍ୟ ସିଦ୍ଧି ପାଇଁ ବିଶେଷ ମନ୍ତ୍ର ଦ୍ୱାରା
ପ୍ରତ୍ୟେକ ଶ୍ଲୋକକୁ ଆଗରେ ଏବଂ ପଛରେ ପୁଟିତ କରି ପାଠ କରାଯାଏ । ଏହି ବିଧିରେ ତିନିଗୁଣ ସମୟ
ଲାଗିଥାଏ । କିନ୍ତୁ କାର୍ଯ୍ୟ ସିଦ୍ଧି ପାଇଁ ଏହା ବରଦାୟିନୀ ଅଟେ ।
୩. ବା’କାର ବିଧି :
ଏହି ବିଧି ମାଧ୍ୟମରେ ସାଧକ ଦେବିଙ୍କର କୃପା
ପାଇଥାଏ । ଅର୍ଥାତ୍ ପ୍ରଥମ ଦିନ ୧ ପାଠ - ପ୍ରଥମ ଅଧ୍ୟାୟ, ଦ୍ୱିତୀୟ ଦିନ ୨ଟି ପାଠ-ଦ୍ୱିତୀୟ ଓ ତୃତୀୟ
ଅଧ୍ୟାୟ, ତୃତୀୟ ଦିନ ୧ ପାଠ - ଚତୁର୍ଥ ଅଧ୍ୟାୟ, ଚତୁର୍ଥ ଦିନ ୪ ପାଠ - ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଅଧ୍ୟାୟ, ପଞ୍ଚମ ଦିନ ୨ଟି ପାଠ - ନବମ ଓ ଦଶମ ଅଧ୍ୟାୟ, ଷଷ୍ଠ ଦିନ ୧ ପାଠ - ଏକାଦଶ ଅଧ୍ୟାୟ, ସପ୍ତମ ଦିନ ୨ଟି ପାଠ - ଦ୍ୱାଦଶ ଓ ତ୍ରୟୋଦଶ
ଅଧ୍ୟାୟର ଆବୃତି କରି ଏକ ଆବୃତି ସଂପୂର୍ଣ୍ଣ
ସପ୍ତଶତୀଙ୍କର କରାଯାଇଥାଏ । ଏହାର ପରିଣାମ ଅଦ୍ଭୁତ ଅଟେ । ଯାହା ପାଖରେ ସମୟ କମ ଅଛି ସେ ଏହି
ବିଧିକୁ ଅବଲମ୍ବନ କରିପାରନ୍ତି
୪. ପ୍ରତିଲୋମ ବିଧି :
ଏହି ବିଧିରେ ଥରେ କରାଯାଇ ଥିବା ପାଠ ୧ଠ ଥର
ସପ୍ତଶତୀ ପାଠ ସହିତ ସମାନ ଫଳ ପ୍ରଦ ଅଟେ । ପ୍ରଥମେ ୧୩ ତମ ଅଧ୍ୟାୟର ବିଲୋମ ପାଠ; ପ୍ରଥମ ଅଧ୍ୟାୟ ଅନୁଲୋମ; ୧୨ତମ (ବିଲୋମ), ଦ୍ୱିତୀୟର (ଅନୁଲୋମ), ନବମର (ବିଲୋମ), ପଞ୍ଚମର (ଅନୁଲୋମ), ଅଷ୍ଟମର (ବିଲୋମ), ଷଷ୍ଟର (ଅନୁଲୋମ), ସପ୍ତମର (ବିଲୋମ ଓ ଅନୁଲୋମ) । ଏହି ବିଧି
ବହୁତ କଠିନ ଅଟେ । ଯେପର୍ଯ୍ୟନ୍ତ ମନ୍ତ୍ରକୁ ଖାତାରେ ଓଲଟା ନଲେଖା ହୋଇଛି ପାଠ କରିବା ସମ୍ଭବ
ନୁହେଁ । ମହାମଣ୍ଡଳେଶ୍ୱର ଶ୍ରୀ ସନ୍ତୋଷଜୀ ମହାରାଜ ଏହି ପ୍ରତିଲୋମ ସପ୍ତଶତୀର ପ୍ରକାଶନ
କରିଥିଲେ । ଅର୍ଥାତ୍ ୧୩ ତମ ଅଧ୍ୟାୟ ଏବଂ ପ୍ରଥମ ଅଧ୍ୟାୟ
ଗୋଟିଏ ଗୋଟିଏ ମନ୍ତ୍ର ଗୋଟିଏ ପରେ ଗୋଟିଏ ରହିଥିଲା । ପ୍ରତିଲୋମ ବିଧି ଏହା ନୁହେଁଯେ, ପ୍ରଥମେ ୧୩ ତମ ଅଧ୍ୟାୟରୁ ପ୍ରଥମ ଅଧ୍ୟାୟ, ପ୍ରଥମ ଅଧ୍ୟାୟରୁ ୧୩ ତମ ଅଧ୍ୟାୟ ପାଠ
କରାଯିବ । ଏହା ସଂପୂର୍ଣ୍ଣ ଭୁଲ ।
୫. ଦୁର୍ଗାକଳ୍ପତରୁ ଓ
କାତ୍ୟାୟିନୀ ତନ୍ତ୍ର :
ଏଥିରେ ପ୍ରତିପାଦିତ ବିଧିକୁ ଅନୁସରଣ
କରାଯାଇପାରେ ।
୬. ସାର୍ଧନବଚଣ୍ଡି ପ୍ରୟୋଗ
;
ନଅ ଜଣ ପଣ୍ଡିତଙ୍କ ଦ୍ୱାରା ଏହି ପ୍ରୟୋଗ
ସଂପର୍ଣ୍ଣ କରାଯାଇଥାଏ । ୯ ଜଣ ପଣ୍ଡିତ ସାଧାରଣ ବିଧିରେ ପାଠ କରିଥାନ୍ତି । ଗୋଟିଏ ପଣ୍ଡିତ
ଷଡ଼ଗରୁଦ୍ରିର ପାଠ କରିଥାନ୍ତି । ଏବଂ ଗୋଟିଏ ପଣ୍ଡିତ ଅଧା ପାଠ କରିଥାନ୍ତି । ଏହି ଅଧା ପାଠର ବଳ ଦ୍ୱାରା ସଂପୂର୍ଣ୍ଣ
କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ । ଏହାର ପ୍ରୟୋଗ ରାଷ୍ଟ୍ର ଗୁରୁ ଦତିୟା ସ୍ୱାମୀଜୀ ପ୍ରାୟତଃ
ନିର୍ଦ୍ଦେଶ ଦେଇଥାନ୍ତି । ଏହି ପ୍ରୟୋଗ ଗୋଟିଏ ଦିନରେ ପୂର୍ଣ୍ଣ ହୋଇଥାଏ । ଦତିଆ ସ୍ୱାମୀଙ୍କ ଅନୁଯାୟୀ ଏହି ଘୋର କଳି
କାଳରେ ଦୁର୍ଗା ସପ୍ତଶତୀ ଏକମାତ୍ର ଗ୍ରନ୍ଥ ଯାହାକି ତା’ର ଶାକ୍ତ ଧର୍ମ ଅକ୍ଷୁର୍ଣ୍ଣ ରଖି ଅଛି ।
୭. କୃଷ୍ଣା ବିଧି :
ଏ ବିଧି ପରମ ଗୁପ୍ତ ଅଟେ । ଏହି ବିଧି
ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହି ବିଧିରେ ୧ରୁ ୪
ଏବଂ ୫ ରୁ ୧୩ ତମ ଅଧ୍ୟାୟ ପର୍ଯ୍ୟନ୍ତ କ୍ରମଶଃ ପାଠ କରାଯାଇଥାଏ ।
[ ପାଠକଙ୍କୁ
ଅନୁରୋଧ ଯେ ମୋ ପାଖରେ ଏହାର ପ୍ରୟୋଗାତ୍ମକ ବିବରଣୀ ନାହି। ଯଦି କୌଣସି ବିଦ୍ଵାନଙ୍କ ପାଖରେ ଏହି ବିଧିର ବିବରଣୀ ଥାଏ
ତେବେ ଦୟାକରି ପଠେଇଲେ ଉପକୃତ ହେବି.]
୮. ଚତୁର୍ଦ୍ଦଶୀ ବିଧି :
ଏହି ବିଧିରେ ୫ ରୁ ୧୩ ଓ ୧ ରୁ ୪ ଅଧ୍ୟାୟ
ପର୍ଯ୍ୟନ୍ତ ପାଠ କରାଯାଇଥାଏ । ଏହି ବିଧି ଦ୍ୱାରା ସଂପୂର୍ଣ୍ଣ ଦାରିଦ୍ର୍ୟତା ନାଶ ଏବଂ
ସଂପର୍ଣ୍ଣତା ପାଇଁ କରାଯାଇଥାଏ । ଏହି ବିଧି ପରମ ଗୋପନୀୟ ଅଟେ ।
୯. ଅଷ୍ଟମି ବିଧି :
ଏହି
ବିଧି ଦ୍ୱାରା ଶତ୍ରୁ ବିନାଶ ହୋଇଥାଏ.
[ ପାଠକଙ୍କୁ
ଅନୁରୋଧ ଯେ ମୋ ପାଖରେ ଏହାର ପ୍ରୟୋଗାତ୍ମକ ବିବରଣୀ ନାହି। ଯଦି କୌଣସି ବିଦ୍ଵାନଙ୍କ ପାଖରେ ଏହି ବିଧିର ବିବରଣୀ ଥାଏ
ତେବେ ଦୟାକରି ପଠେଇଲେ ଉପକୃତ ହେବି.]
୧ଠ. ଦଦାତି ବିଧି :
ପ୍ରଥମ ଅଧ୍ୟାୟରୁ ତ୍ରୟୋଦଶ ଅଧ୍ୟାୟର “ନିର୍ବିଣୋତି ମମତେନ ରାଜ୍ୟାପହରଣେନଚ” ପର୍ଯ୍ୟନ୍ତ ପାଠ କରି ରହସ୍ୟ ତ୍ରୟ ପାଠ କରି ପୁନଶ୍ଚ “ଜଗାମ ସଦ୍ୟସ୍ତପସେ” ପାଠ କରାଯାଏ । ଏହା ଅପ୍ରଚଳିତ ବିଧି ଅଟେ
ତଥା ପରମ ଗୋପନୀୟ ମଧ୍ୟ ଅଟେ । ପରମହଂସ ସାଧକ ଦ୍ୱାରା ପ୍ରଦତ୍ତ ଏହି ବିଧିକୁ ପ୍ରଣାମ । ଏହି
ବିଧି ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୋଇଥାଏ ।
୧୧. ପ୍ରତିଗୁହ୍ଲାତି ବିଧି :
କବଚରେ କେବଳ “ଦକ୍ଷିଣେଚାପରାଜିତା୨୦-୧/୨ ଶ୍ଳୋକର ପାଠ କରି
ଅର୍ଗଳାର ୨ଟି ଶ୍ଳୋକ ପାଠ କରନ୍ତୁ; ଯଥା - ଜୟନ୍ତୀ ମଙ୍ଗଳାକାଳୀ ଏବଂ
ମଧୁକୈଟଭବିଦ୍ରାବି । ପୁନଶ୍ଚ କିଳକର ପୂର୍ଣ୍ଣ ପାଠ କରି ସାଧାରଣ ବିଧିରେ ପାଠ କରନ୍ତୁ । ଏହି
ବିଧି ଦ୍ୱାରା ସାଧକ ଦେବିଙ୍କ ଠାରୁ ଇଚ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଏହି ସମସ୍ତ ପାଠ ପରମ
ଗୋପନୀୟ ଅଟେ ।
୧୨. ଶତଚଣ୍ଡି ଓ ସହସ୍ରଚଣ୍ଡି :
୧ଠ୮ ପାଠ କିମ୍ବା ୧ଠଠ୮ ପାଠ ସାଧାରଣ ବିଧିରେ
କରି ବିଶେଷ ହୋମ ଦ୍ୱାରା ବ୍ୟକ୍ତି ବିଶେଷ ଓ ସମାଜର ଆଶା ପୂର୍ଣ୍ଣ ହୋଇଥାଏ ।
ଏହି ପରି ଦୁର୍ଗା ସପ୍ତଶତୀ ପାଠ ଦ୍ୱାରା
ଜୀବନର ଭୌତିକ ତଥା ଅଧ୍ୟାତ୍ମିକ ଲାଭ ପୂର୍ଣ୍ଣ ରୂପରେ ସମ୍ଭବ ହୋଇଥାଏ । ଉପରୋକ୍ତ ଦ୍ୱିତୀୟ
ବିଧିରୁ ୧୧ ତମ ବିଧି ପର୍ଯ୍ୟନ୍ତ ପାଠ କୌଣସି ବିଜ୍ଞ ଓ ବିଦ୍ୱାନ ବ୍ୟକ୍ତିର ପରାମର୍ଶରେ କରିବା
ଉଚିତ୍ । ଯଦି ଏହି ଲେଖା ପଢ଼ି କୌଣସି ବ୍ୟକ୍ତି ଉପରୋକ୍ତ ବିଧିରେ ପାଠ କରିଥାଏ ତାହାର ଫଳାଫଳ
ପାଇଁ ଲେଖକ ଦାୟୀ ରହିବେ ନାହିଁ ।
ଏହି ଲେଖା ଉପରେ review ଦେବାକୁ ଅନୁରୋଧ।
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Comments
Post a Comment